इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୭

ଆପଣଙ୍କ ପିଲାକୁ କିପରି ଶିକ୍ଷା ଦେବେ

ଆପଣଙ୍କ ପିଲାକୁ କିପରି ଶିକ୍ଷା ଦେବେ

“ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ । ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ।”—ଦ୍ୱିତୀୟ ବିବରଣ ୬:୬, ୭

ଯେତେବେଳେ ଯିହୋବା ପରିବାରର ଆରମ୍ଭ କଲେ, ସେତେବେଳେ ସେ ପିଲାମାନଙ୍କ ଯତ୍ନ ନେବାର ଦାୟିତ୍ୱ ସେମାନଙ୍କ ପିତାମାତାଙ୍କୁ ଦେଲେ । (କଲସୀୟ ୩:୨୦) ପିତାମାତା ଭାବରେ ଏହା ଆପଣଙ୍କ ଦାୟିତ୍ୱ ଅଟେ ଯେ ଆପଣ ନିଜ ପିଲାକୁ ଯିହୋବାଙ୍କୁ ପ୍ରେମ କରିବା ଶିଖାନ୍ତୁ ଏବଂ ଏକ ଦାୟିତ୍ୱବାନ ବ୍ୟକ୍ତି ହେବାରେ ସାହାଯ୍ୟ କରନ୍ତୁ । (୨ ତୀମଥି ୧:୫; ୩:୧୫) ଆପଣ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରିବା ଉଚିତ୍‌ ଯେ ଆପଣଙ୍କ ପୁଅ କିମ୍ବା ଝିଅର ହୃଦୟରେ କʼଣ ଅଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏକ୍ଷେତ୍ରରେ ଆପଣଙ୍କ ନିଜର ଉଦାହରଣ ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ନିଜେ ଯିହୋବାଙ୍କ ବାକ୍ୟକୁ ନିଜ ହୃଦୟରେ ରଖିବା ପରେ ହିଁ ଆପଣ ନିଜ ପିଲାକୁ ଏବିଷୟରେ ସବୁଠାରୁ ଉତ୍ତମ ଭାବେ ଶିଖାଇପାରିବେ ।—ଗୀତସଂହିତା ୪୦:୮.

୧ ନିଜ ପିଲାଙ୍କ ପାଇଁ ଆପଣଙ୍କ ସହିତ କଥାବାର୍ତ୍ତା କରିବା ସହଜ କରନ୍ତୁ

ବାଇବଲ କʼଣ କହେ: ‘ଶୁଣିବାରେ ତତ୍ପର ଏବଂ କହିବାରେ ଧୀର ହୁଅ ।’ (ଯାକୁବ ୧:୧୯) ଆପଣ ନିଶ୍ଚୟ ଚାହିଁବେ ଯେ ଆପଣଙ୍କ ପିଲାମାନେ ଆପଣଙ୍କ ସହିତ ବିନା ସଂକୋଚରେ କଥା ହୁଅନ୍ତୁ । ସେମାନେ ଜାଣିବା ଜରୁରୀ ଯେ ଯେତେବେଳେ ସେମାନେ କଥା ହେବାକୁ ଚାହାନ୍ତି, ଆପଣ ସେମାନଙ୍କ କଥାକୁ ଶୁଣିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏକ ଶାନ୍ତ ପରିବେଶ ସୃଷ୍ଟି କରନ୍ତୁ, ଯାହାଫଳରେ ସେମାନେ ନିଜ ମନକଥା ଆପଣଙ୍କୁ ସହଜରେ କହିପାରିବେ । (ଯାକୁବ ୩:୧୮) ଯଦି ସେମାନେ ଭାବନ୍ତି ଯେ ଆପଣ ରାଗିଯାଇ ହଠାତ୍‌ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ, ତେବେ ହୁଏତ ସେମାନେ ମନଖୋଲି କଥା ହୋଇ ନ ପାରନ୍ତି । ପିଲାଙ୍କୁ ଧୈର୍ଯ୍ୟର ସହିତ ଶିଖାନ୍ତୁ ଏବଂ ସମୟ ସମୟରେ ସେମାନଙ୍କୁ ଆପଣ ଭଲ ପାʼନ୍ତି ବୋଲି ପ୍ରମାଣ ଦିଅନ୍ତୁ ।—ମାଥିଉ ୩:୧୭; ୧ କରିନ୍ଥୀୟ ୮:୧.

ଆପଣ କʼଣ କରିପାରିବେ:

  • ଯେତେବେଳେ ଆପଣଙ୍କ ପିଲାମାନେ ଆପଣଙ୍କ ସହିତ କଥା ହେବା ପାଇଁ ଚାହାନ୍ତି, ସେମାନଙ୍କୁ ସମୟ ଦିଅନ୍ତୁ

  • ଯେତେବେଳେ ସମସ୍ୟା ଦେଖାଦିଏ, କେବଳ ସେସମୟରେ ନୁହଁ, ବରଂ ନିଜ ପିଲାମାନଙ୍କ ସହିତ ସବୁବେଳେ କଥା ହୁଅନ୍ତୁ

୨ ସେମାନେ ପ୍ରକୃତରେ କʼଣ କହିବାକୁ ଚାହାନ୍ତି, ବୁଝିବାକୁ ଚେଷ୍ଟା କରନ୍ତୁ

ବାଇବଲ କʼଣ କହେ: “ଯିଏ କୌଣସି ବିଷୟରେ ବୁଝିବାର ଶକ୍ତି ଦେଖାଏ, ସେ ସଫଳତା ପାଇବ ।” (ହିତୋପଦେଶ ୧୬:୨୦, NW) ବେଳେ ବେଳେ ଆପଣଙ୍କୁ ନିଜ ପିଲାମାନଙ୍କ କେବଳ କଥାକୁ ନୁହଁ, ବରଂ ସେମାନଙ୍କ ଶବ୍ଦଗୁଡ଼ିକ ପଛରେ ଥିବା ପ୍ରକୃତ ଭାବନାଗୁଡ଼ିକୁ ବୁଝିବାକୁ ହେବ । ସାଧାରଣତଃ, ପିଲାମାନେ କଥାକୁ ବଡ଼ କରି କହନ୍ତି କିମ୍ବା ଏପରି କଥା କହି ଦିଅନ୍ତି, ଯାହା ସେମାନେ କହିବାକୁ ଚାହାନ୍ତି ନାହିଁ । ‘ଯେ ଶୁଣିବା ପୂର୍ବରୁ ଉତ୍ତର ଦିଏ, ସେ ଅଜ୍ଞାନୀ ଅଟେ ।’ (ହିତୋପଦେଶ ୧୮:୧୩) ନିଜ ପିଲାଙ୍କ ଉପରେ ଶୀଘ୍ର ରାଗି ଯାଆନ୍ତୁ ନାହିଁ ।—ହିତୋପଦେଶ ୧୯:୧୧.

ଆପଣ କʼଣ କରିପାରିବେ:

  • ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣଙ୍କ ପିଲାମାନେ ଯାହା କିଛି କହନ୍ତୁ ନା କାହିଁକି, ଆପଣ ସେମାନଙ୍କ କଥାରେ କେବେ ମଧ୍ୟ ବାଧା ଦେବେ ନାହିଁ କିମ୍ବା ସେମାନଙ୍କ ଉପରେ ରାଗିବେ ନାହିଁ

  • ମନେପକାନ୍ତୁ ଯେ ଯେତେବେଳେ ଆପଣ ସେମାନଙ୍କ ବୟସର ଥିଲେ, ସେତେବେଳେ ଆପଣଙ୍କୁ କିପରି ଲାଗୁଥିଲା ଏବଂ ସେସମୟରେ ଆପଣଙ୍କ ପାଇଁ କʼଣ ଅଧିକ ମହତ୍ତ୍ୱ ଥିଲା

୩ ଆପଣ ଦୁହିଙ୍କ ନିଷ୍ପତ୍ତି ଗୋଟିଏ ଅଟେ ବୋଲି ପ୍ରମାଣ ଦିଅନ୍ତୁ

ବାଇବଲ କʼଣ କହେ: “ହେ ମୋହର ପୁତ୍ର, ତୁମ୍ଭ ପିତାର ଉପଦେଶ ଶୁଣ ଓ ତୁମ୍ଭ ମାତାର ଆଦେଶ ପରିତ୍ୟାଗ କର ନାହିଁ ।” (ହିତୋପଦେଶ ୧:୮) ବାପା ଓ ମାଆ ଦୁହିଙ୍କୁ ଯିହୋବା ନିଜ ପିଲାମାନଙ୍କ ଉପରେ ଅଧିକାର ଦେଇଛନ୍ତି । ଆପଣ ନିଜ ପିଲାମାନଙ୍କୁ ଆପଣଙ୍କ ସମ୍ମାନ କରିବା ଏବଂ ଆପଣଙ୍କର କଥା ମାନିବା ଶିଖାଇବା ଉଚିତ୍‌ । (ଏଫିସୀୟ ୬:୧-୩) ଯଦି ପିତାମାତାମାନେ ‘ଏକ ମନରେ ମିଳିତ’ ନ ହୁଅନ୍ତି, ତେବେ ତାହା ପିଲାମାନେ ଜାଣିପାରନ୍ତି । (୧ କରିନ୍ଥୀୟ ୧:୧୦) ଯଦି ଆପଣ ଦୁହେଁ କୌଣସି ବିଷୟରେ ପରସ୍ପର ସହିତ ଏକମତ ନ ହୁଅନ୍ତି, ତେବେ ପିଲାମାନଙ୍କ ଆଗରେ ସେବିଷୟରେ କଥା ହୁଅନ୍ତୁ ନାହିଁ, କାରଣ ଏପରି କରିବା ଦ୍ୱାରା ପିଲାମାନଙ୍କ ଦୃଷ୍ଟିରେ ଆପଣଙ୍କ ସମ୍ମାନ କମିଯାଇପାରେ ।

ଆପଣ କʼଣ କରିପାରିବେ:

  • ପରସ୍ପର ସହିତ କଥାବାର୍ତ୍ତା ହୁଅନ୍ତୁ ଏବଂ ଏହା ନିର୍ଣ୍ଣୟ କରନ୍ତୁ ଯେ ଆପଣ ନିଜ ପିଲାମାନଙ୍କୁ କିପରି ଅନୁଶାସନ ଦେବେ

  • ପିଲାମାନଙ୍କୁ ତାଲିମ୍‌ ଦେବା ବିଷୟରେ ଯଦି ଆପଣ ଦୁହିଙ୍କ ମତ ଭିନ୍ନ ଅଟେ, ତେବେ ନିଜ ଜୀବନସାଥୀଙ୍କ ଦୃଷ୍ଟିକୋଣକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ

୪ ଯୋଜନା ପ୍ରସ୍ତୁତ କରନ୍ତୁ

ବାଇବଲ କʼଣ କହେ: “ବାଳକକୁ ଏପରି ଶିକ୍ଷା ଦିଅ, ଯେଉଁ ବାଟରେ ସେ ଚାଲିବା ଉଚିତ୍‌ ।” (ହିତୋପଦେଶ ୨୨:୬, NW) ଆପଣଙ୍କ ପିଲାମାନଙ୍କୁ ଭଲ ଶିକ୍ଷା ଆପେ ଆପେ ମିଳିପାରିବ ନାହିଁ । ସେମାନଙ୍କୁ ତାଲିମ୍‌ ଦେବା ପାଇଁ ଆପଣଙ୍କୁ ଏକ ଭଲ ଯୋଜନା ପ୍ରସ୍ତୁତ କରିବାକୁ ହେବ, ଯେଉଁଥିରେ ସେମାନଙ୍କୁ ଅନୁଶାସନ ଦେବା ମଧ୍ୟ ସାମିଲ୍‌ ହେବା ଉଚିତ୍‌ । (ଗୀତସଂହିତା ୧୨୭:୪; ହିତୋପଦେଶ ୨୯:୧୭) ଅନୁଶାସନ ଦେବାର ଅର୍ଥ ଏହା ନୁହେଁ ଯେ କେବଳ ଦଣ୍ଡ ଦେବା । ବରଂ ଏଥିରେ ଏହା ମଧ୍ୟ ସାମିଲ୍‌ ଅଛି ଯେ ନିୟମଗୁଡ଼ିକ ପଛରେ ରହିଥିବା କାରଣଗୁଡ଼ିକୁ ବୁଝିବାରେ ନିଜ ପିଲାମାନଙ୍କୁ ସାହାଯ୍ୟ କରିବା । (ହିତୋପଦେଶ ୨୮:୭) ତାʼ ସହିତ, ସେମାନଙ୍କୁ ଯିହୋବାଙ୍କ ବାକ୍ୟକୁ ଭଲ ପାଇବା ଏବଂ ସେଥିରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକୁ ବୁଝିବା ଶିଖାନ୍ତୁ । (ଗୀତସଂହିତା ୧:୨) ଏହାଦ୍ୱାରା ସେମାନଙ୍କ ବିବେକ ଭଲ ଓ ମନ୍ଦ ମଧ୍ୟରେ ପାର୍ଥକ୍ୟ କରିବା ଶିଖିବ ।—ଏବ୍ରୀ ୫:୧୪.

ଆପଣ କʼଣ କରିପାରିବେ:

  • ଈଶ୍ୱରଙ୍କୁ ଜଣେ ବାସ୍ତବିକ ବ୍ୟକ୍ତି ଭାବରେ ଦେଖିବା ପାଇଁ ଆପଣ ନିଜ ପିଲାମାନଙ୍କୁ ସାହାଯ୍ୟ କରନ୍ତୁ, ଯାହାଙ୍କ ଉପରେ ସେମାନେ ଭରସା କରିପାରିବେ

  • ମନ୍ଦ ଚାଲିଚଳନଗୁଡ଼ିକୁ ଚିହ୍ନିବା ଏବଂ ସେଥିରୁ ଦୂରେଇ ରହିବା ପିଲାମାନଙ୍କୁ ଶିଖାନ୍ତୁ, ଯେପରି—ଇଣ୍ଟରନେଟ୍‌ ଓ ସୋସିଅଲ୍‌ ନେଟ୍‌ୱର୍କରେ ଭରି ରହିଥିବା ଅନୈତିକତା । ସେମାନଙ୍କୁ ଶିଖାନ୍ତୁ ଯେ ଯେଉଁମାନେ ଅନ୍ୟମାନଙ୍କୁ ନିଜ ଯୌନ ଲାଳସାର ଶିକାର କରିନିଅନ୍ତି, ସେମାନଙ୍କଠାରୁ କିପରି ଦୂରେଇ ରହିପାରିବେ

“ବାଳକକୁ ଏପରି ଶିକ୍ଷା ଦିଅ, ଯେଉଁ ବାଟରେ ସେ ଚାଲିବା ଉଚିତ୍‌”